Unknown

 

 

 

 

 

 

 

 

 

 

ଅଦିନ ମେଘ

ନନ୍ଦକିଶୋର ବଳ

 

ଖରା କରୁଅଛି ମେଘ ବରଷୁଛି

ବିଲୁଆ ପୁଅର ବିଭା,

ଗାତରୁ ବାହାରି ହିଡ଼ରେ କଙ୍କଡ଼ା

ଖରା ପୋଉଁଛନ୍ତି କିବା ।।

 

ଘୋର ଘଡ଼ଘଡ଼ି ଘଡ଼ଘଡ଼ ରଡ଼ି

କମ୍ପେ ପ୍ରାଣ ତାହା ଶୁଣି,

‘‘ଗରଜିଲା ମେଘ ନ ବରଷେ ପାଣି’’

କିଏ କହୁଥାଏ ପୁଣି ।।

 

ଜକ ଜକ ମେଘ ଦିଶଇ ବିଜୁଳି

ତାଳଗଛ ଯାଏ ଜଳି,

ପିଲାଏ ଶୁଣିଣ ମେଘ ଗରଜନ

ଛାଡ଼ନ୍ତି ଉଝଟ ଅଳି ।।

 

ବିଜୁଳି ଚମକେ ଦୂର ଆକାଶରେ

ଦିଶେ ସୁନାଲଟା ପରି,

ଶବଦ ମାତର ଘଡ଼ଘଡ଼ି ସିନା

ତାହାକୁ କିପାଇଁ ଡରି ।।

 

ପାଣି ସାଙ୍ଗେ ପଡ଼େ ସରଗ ପଥର

ତାହା ଦେଖି ପିଲାମାନେ,

ସାଉଁଟି ଖାଇଣ ଗୀତ ଗାଉଥାନ୍ତି

ନାଚି କୁଦି ତାନମାନେ ।।